ତୁଣ୍ଡରେ ଡାଲି ନ ଲାଗିଲେ ଭଲ!

P.C. Google images

ଚେନାଇ ରେ ଥିଲାବେଳେ, ଥରେ ଜଣେ ସାଙ୍ଗ(ତାମିଳ ଭାଷୀ) ସହ କଥା ହେଉଥିଲି। ସେ ଚାକିରି ଖୋଜିବା ବେଳେ ଥରେ ଭାରତୀୟ ନୌବାହିନୀ(Navy) ର ଗୋଟେ ପରୀକ୍ଷା ଦେବା ପାଇଁ ବିଶାଖାପଟନମ ଆସିଥିଲା ତା’ ବାପାଙ୍କ ସାଙ୍ଗରେ। ଚେନାଇ ଫେରିବା ବେଳେ ଆରକ୍ଷିତ ସିଟ ନ ମିଳିବାରୁ ତାକୁ ଗେନେରାଲ(General unreserved)ରେ କିଛି ବାଟ ଯାତ୍ରା କରିବାକୁ ପଡ଼ିଲା। ବିଶାଖାପଟନମରେ କିଛି ଶ୍ରମିକ ଟ୍ରେନକୁ ଉଠିଲେ। ସେମାନଙ୍କ ମଧ୍ୟରୁ କାହାର ଦେହର ଅବସ୍ଥା ଠିକ ନଥିଲା, ଯେହେତୁ ସେମାନେ ଠିକରେ କିଛି ଖାଇବାପିଇବା କରିନଥିଲେ। ମୋ’ ସାଙ୍ଗ ସେମାନଙ୍କୁ ଇଂରାଜୀ/ହିନ୍ଦୀ ମିଶା କଥାରେ ପଚାରିବାରୁ ସେମାନେ କହିଲେ ଯେ ସେମାନେ ଓଡ଼ିଶାରୁ ଓ ଆଗରୁ ବିଶାଖାପଟନମରେ କାମ କରୁଥିଲେ। କିଛି ଦିନ ଛୁଟିରେ ଘରକୁ ଯାଇଥିଲେ। କିନ୍ତୁ ପଇସା ସବୁ ସରିଯିବାରୁ, ଛୁଟି ଆଉ କ’ଣ କରିବେ, ବିଶାଖାପଟନମରେ ସେଇ ପୁରୁଣା ଜାଗାକୁ ଆସିଲେ। କିନ୍ତୁ ହଠାତ କିନା ମାଲିକ ପାଖରେ କାମ ନଥିଲା। ସିଏ କାହା ସଙ୍ଗେ କଥା ହୋଇ ସେମାନଙ୍କୁ ଚେନାଇ ଯିବାକୁ କହିଲା। ଏମିତି କିଛି କଥା ହେଲା ପରେ, ମୋ’ ସାଙ୍ଗର ବାପା କହିଲେ ଯେ ଯଦି ସେମାନେ ରାଜି ହୁଅନ୍ତି, ସେ ଚା’ ଆଉ କିଛି ଖାଇବା ଜିନିଷ କିଣିକି ଦେଇପାରିବେ। ମୋ’ ସାଙ୍ଗ ସେଇ କଥା ଶ୍ରମିକମାନଙ୍କୁ କହିଲା। କିନ୍ତୁ ଶ୍ରମିକମାନଙ୍କ ମଧ୍ୟରେ ଯିଏ ପୁରୁଖା ଲୋକ, ସିଏ କହିଲେ “ନାଇଁ ଥାଉ, ଯଦି କିଛି ଖାଇଦବୁ, ତାହେଲେ ଅଧିକ ଭୋକ ଲାଗିବ”!

ଏଇ କଥାରୁ, ମୋ ପିଲାବେଳର ଗୋଟେ କଥା ମନେ ପଡ଼େ। ଗାଁ’ ରେ ଥିଲାବେଳେ ଆମର ମାଟିଘର ଥିଲା ଯୋଉଥିରେ ନଡ଼ା ଛପର ଥାଏ। କିଛି ମାସ ଅନ୍ତରରେ ସେ ନଡ଼ା ଛପରକୁ ବଦଳେଇ ନୂଆ ଛପର କରିବାକୁ ପଡ଼େ। ଏ କାମ କରିବାକୁ କିଛି ଚାଷୀ-ମଜୁରିଆ ଆସୁଥିଲେ। ସେମାନେ ଛପର କାମ ସାରିବା ପରେ, ପଇସା ନେବା ସହିତ ଆମ ଘରେ ଖାଇକି ଯାଉଥିଲେ। ମୋ’ର ଯାହା ମନେ ପଡୁଛି, ସେଦିନ ଆମ ଘରେ ଭାତ, ଡାଲି, ଆଳୁ ବଘରା ଓ ଭଜା ହୋଇଥିଲା। ଚାରି ଜଣ ମଜୁରିଆ ଭିତରୁ ଜଣେ କହିଲା ଯେ ସିଏ ଡାଲି ଆଉ ଭଜା ଖାଇବନି। ତାକୁ ଟିକେ ଆମ ଘରେ ବାଧ୍ୟ କରିବାରୁ ସେ କହିଲା “ତୁଣ୍ଡରେ ଡାଲି ନ ଲାଗିଲେ ଭଲ, କାରଣ ଅଭ୍ୟାସ ହେଇଗଲେ ସବୁବେଳେ ଖାଇବକୁ ଇଚ୍ଛା ହେବ!, ଆମେ ଚାଷୀ-ମଜୁରିଆ କଣ ଡାଲି କିଣିକି ଖାଇପାରିବୁ?”!

-ଆଶିଷ


Standard

Leave a comment